Support

Breaking News

ଭାରତୀୟ ବଜାରର ପ୍ରମୁଖ ଟେଲିକମ୍‌ କମ୍ପାନୀ ଆଇଡିଆ ସେଲ୍ୟୁଲାର ଲିମିଟେଡ ଏହାର ନାମକୁ ପରିବର୍ତ୍ତନ କରି ଭୋଡାଫୋନ-ଆଇଡିଆ ଲିମିଟେଡ କରିବ


ଭାରତୀୟ ବଜାରର ପ୍ରମୁଖ ଟେଲିକମ୍‌ କମ୍ପାନୀ ଆଇଡିଆ ସେଲ୍ୟୁଲାର ଲିମିଟେଡ ଏହାର ନାମକୁ ପରିବର୍ତ୍ତନ କରି ଭୋଡାଫୋନ-ଆଇଡିଆ ଲିମିଟେଡ କରିବ। ବ୍ରିଟେନର ପ୍ରମୁଖ ଟେଲିକମ୍‌ କମ୍ପାନୀ ଭୋଡାଫୋନ ଏବଂ କୁମାର ମଙ୍ଗଳମ ବିର୍ଲାଙ୍କ ଆଦିତ୍ୟ ବିର୍ଲା ଗ୍ରୁପର ଆଇଡିଆର ମିଶ୍ରଣ ବର୍ତ୍ତମାନ ଚୂଡାନ୍ତ ପର୍ଯ୍ୟାୟରେ ରହିଥିବା ଜଣାଯାଇଛି।

 ଆଇଡିଆ ଏହାର ନାମକୁ ପରିବର୍ତ୍ତନ କରିବା ଲାଗି ଚଳିତ ମାସ ୨୬ରେ ଏକ ଏକ୍ସଟ୍ରା ଅଡିନାରୀ ଜେନେରାଲ ମିଟିଂ(ଇଜିଏମ୍‌) ଡାକିଛି। ଉକ୍ତ ବୈଠକରେ ନାମ ପରିବର୍ତ୍ତନ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି କମ୍ପାନୀ ଶନିବାର ଷ୍ଟକ ଏକ୍ସଚେଞ୍ଜକୁ ରିଗୁଲେଟୋରି ଫାଇଲିଂରେ ସୂଚନା ଦେଇଛି।

 ଭୋଡାଫୋନ ଓ ଆଇଡିଆ  କମ୍ପାନୀ ଏହାର ବାଣିଜ୍ୟକୁ ମିଶ୍ରଣ ଲାଗି ପ୍ରକ୍ରିୟା ଜାରି ରଖିଛନ୍ତି। ଉକ୍ତ ମିଶ୍ରଣ ଟେଲିକମ୍‌ ବିଭାଗର ମଞ୍ଜୁରୀ ଅପେକ୍ଷାରେ ରହିଥିବା ବେଳେ ପ୍ରକ୍ରିୟା ଚୂଡାନ୍ତ ପର୍ଯ୍ୟାୟରେ ରହିଛି ବୋଲି କମ୍ପାନୀର ଜଣେ ଅଧିକାରୀ କହିଛନ୍ତି। ମିଶ୍ରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେଲେ ଘରୋଇ ବଜାରରେ ସର୍ବବୃହତ୍ତ ଟେଲିକମ୍‌ କମ୍ପାନୀ ସୃଷ୍ଟି ହେବ। ଉକ୍ତ କମ୍ପାନୀର ସମ୍ପତ୍ତି ୨୩ ବିଲିୟନ ଡଲାର ରହିବ। ନୂଆ କମ୍ପାନୀ ସୃଷ୍ଟି ହେଲେ ଘରୋଇ ବଜାରରେ ପ୍ରମୁଖ ଟେଲିକମ୍‌ କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଯୋରଦାର ହେବ ବୋଲି ବଜାର ବିଶେଷଜ୍ଞ ମାନେ କହିଛନ୍ତି।

ନାମ ପରିବର୍ତ୍ତନ ବ୍ୟତୀତ ଇଜିଏମ୍‌ ବୈଠକରେ ଅଣ କନଭର୍ଟିବୁଲ ଡିବେଞ୍ଚର(ଏନ୍‌ସିଡି) ଦ୍ୱାରା ୧୫,୦୦୦ କୋଟି ଟଙ୍କାର ପାଣ୍ଠି ଉଠାଣ ନିଷ୍ପତ୍ତି ଉପରେ ମଧ୍ୟ ଆଲୋଚନା ହେବ। ଦୁଇ କମ୍ପାନୀର ମିଶ୍ରଣ ପରେ ଭୋଡାଫୋନ ନିକଟରେ ୪୫.୧% ଅଂଶଧନ ରହିବ। ଅପର ପକ୍ଷରେ ଆଦିତ୍ୟ ବିଲା ଗ୍ରୁପ ନିକଟରେ ୨୬% ଏବଂ ଆଇଡିଆ ଅଂଶୀଦାରଙ୍କ ନିକଟରେ ୨୮.୯% ଅଂଶଧନ ରହିବ।

କମ୍ପାନୀର ଅଣ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କୁମାର ମଙ୍ଗଳମ ବିର୍ଲା କାର୍ଯ୍ୟ କରିବେ ବୋଲି ମାର୍ଚ୍ଚ ମାସରେ ଘୋଷଣା ହୋଇ ସାରିଛି। ସେହିଭଳି ବର୍ତ୍ତମାନ ଭୋଡାଫୋନ ଇଣ୍ଡିଆର ମୁଖ୍ୟ ପରିଚାଳନା ଅଧିକାରୀ ଭାବେ କାର୍ଯ୍ୟରତ ବଲେଶ୍‌ ଶର୍ମା ମିଶ୍ରିତ କମ୍ପାନୀର ସିଇଓ ରହିବେ। ନୂଆ କମ୍ପାନୀରେ ୪୩ କୋଟି ମୋବାଇଲ ଉପଭୋକ୍ତା ଏବଂ ୩୫% ବଜାର ଅଂଶ ରହିବ।

2 comments:

  1. bhai kana sabu akhyara misiki achi

    ReplyDelete
    Replies
    1. Kanhi nahita, khali heading re problem achi

      Delete