Support

Breaking News

ଚାଇନା ବଜାରରେ ଭାରତକୁ ନୋ-ଏଣ୍ଟ୍ରି କିନ୍ତୁ ଭାରତ ବଜାରରେ ଚାଇନାକୁ ଫୁଲ୍ ଏଣ୍ଟ୍ରି

ଚାଇନା ବଜାରରେ ଭାରତକୁ ନୋ-ଏଣ୍ଟ୍ରି

no entry Indian products on Chinese market

ଗୋଟିଏ ପଟେ ଭାରତ ବଜାରରେ ଚାଇନା ସାମଗ୍ରୀ ବୃହତ୍‌ ଆକାରରେ ବିଛେଇ ହୋଇ ରହିଛି। ସେ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ହେଉ କିମ୍ବା ମୋବାଇଲ ହ୍ୟାଣ୍ଡ୍‌ସେଟ୍‌ ଅବା ଖେଳନା ଆମ ଦେଶରେ ବିକ୍ରି ହେଉଥିବା ସିଂହଭାଗ ଉତ୍ପାଦ ଚାଇନାରୁ ଆମଦାନୀ ହେଉଛି। ଭାରତୀୟ ବଜାରକୁ ବୃହତ୍‌ ଆକାରରେ ସାମଗ୍ରୀ ରପ୍ତାନି କରୁଥିବା ଚାଇନାରେ କିନ୍ତୁ ବୃହତ୍‌ ପରିମାଣର ଭାରତୀୟ ଉତ୍ପାଦକୁ ‘ନୋ ଏଣ୍ଟ୍ରି’ ସେଗ୍‌ମେଣ୍ଟରେ ରଖାଯାଇଛି। ଚାଇନା ବଜାରରେ ପ୍ରବେଶ କରିବା ପାଇଁ ଭାରତୀୟ ରପ୍ତାନିକାରୀଙ୍କ ଲାଳସା ଲମ୍ବା ସମୟରୁ ପୂରଣ ହୋଇପାରୁନାହିଁ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 27 ଏବଂ 28 ଦୁଇଦିନ ପାଇଁ ଚାଇନା ଗସ୍ତରେ ଯାଇଥିଲେ। ଏହି ଅବସରରେ ସେ ଚାଇନାର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ସହ ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଆଶା କରାଯାଉଥିଲା ଯେ ଏହି ଆଲୋଚନା ସଫଳ ହୋଇପାରେ। କିନ୍ତୁ ମୋଦିଙ୍କ ଉଦ୍ୟମ ସମ୍ପୂର୍ଣ୍ଣ ବ୍ୟର୍ଥ ସାବ୍ୟସ୍ତ ହୋଇଛି। ଚାଇନା ନିଜ ଜିଦ୍‌ରେ ସମ୍ପୂର୍ଣ୍ଣ ଅଟଳ ରହିଛି। ଅନେକ ଭାରତୀୟ ସାମଗ୍ରୀ ସମଗ୍ର ବିଶ୍ୱକୁ ରପ୍ତାନି ହେଉଥିବାବେଳେ ଚାଇନାରେ ଏଗୁଡିକ ଉପରେ ‘ନୋ ଏଣ୍ଟ୍ରି’ ଲଗାଯାଇଛି।

ଭାରତ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ରଗୁଡିକୁ ପାଖାପାଖି 5.3 ବିଲିୟନ ଡଲାର ମୂଲ୍ୟର ଚାଉଳ ରପ୍ତାନି କରୁଛି। କିନ୍ତୁ ଏଥିରେ ଚାଇନା ନାହିଁ। ଚାଇନା ଭାରତରୁ ଆଦୌ ଚାଉଳ ଆମଦାନୀ କରି ନ ଥାଏ। ଏହି ରାଷ୍ଟ୍ର ଅନ୍ୟ ଦେଶଗୁଡିକରୁ ପ୍ରତିବର୍ଷ ପାଖାପାଖି 1.5 ବିଲିୟନ ଡଲାର ମୂଲ୍ୟର ଚାଉଳ ଆମଦାନୀ କରୁଛି କିନ୍ତୁ ଭାରତରୁ ଚାଉଳ ଆମଦାନୀ କରିବା ପାଇଁ ଏହା ବିଚାର କରୁନାହିଁ।

ପ୍ରତିବର୍ଷ ଭାରତ 3.68 ବିଲିୟନ ଡଲାର ମୂଲ୍ୟର ଗୋମାଂସ ଅନ୍ୟ ରାଷ୍ଟ୍ରଗୁଡିକୁ ରପ୍ତାନି କରୁଛି କିନ୍ତୁ ଚାଇନା ଏଥିରେ ସାମିଲ ନାହିଁ। ଭାରତରୁ ଗୋମାଂସ ଆମଦାନୀ କରିବା ପାଇଁ ଚାଇନା ଚାହୁଁନାହିଁ। ଅନ୍ୟ ରାଷ୍ଟ୍ରଗୁଡିକରୁ ଏହା ବର୍ଷକୁ ପାଖାପାଖି 2.45 ବିଲିୟନ ଡଲାର ମୂଲ୍ୟର ଗୋମାଂସ ଆମଦାନୀ କରୁଥିବାବେଳେ ଭାରତକୁ ନଜର ଦେଉନାହିଁ।
ଭାରତରେ ପ୍ରସ୍ତୁତ ଔଷଧ ସମଗ୍ର ବିଶ୍ୱକୁ ରପ୍ତାନି ହେଉଛି। ଔଷଧ ରପ୍ତାନିରୁ ପ୍ରତିବର୍ଷ ଭାରତ ପାଖାପାଖି 10 କୋଟି 95 ଲକ୍ଷ ଡଲାରର ରାଜସ୍ବ ସଂଗ୍ରହ କରୁଛି। କିନ୍ତୁ ଏଥିରେ ଚାଇନାର କୌଣସି ଅବଦାନ ନାହିଁ। ଚାଇନା ପ୍ରତିବର୍ଷ ପାଖାପାଖି 62 କୋଟି 50 ଲକ୍ଷ ଡଲାର ମୂଲ୍ୟର ଔଷଧ ବିଦେଶରୁ କିଣୁଛି କିନ୍ତୁ ଭାରତରୁ ଏହା ଏକ ଟଙ୍କାର ମଧ୍ୟ ଔଷଧ ମଗାଉନାହିଁ।

ଭାରତ ପ୍ରତିବର୍ଷ 12 କୋଟି 10 ଲକ୍ଷ ଡଲାର ମୂଲ୍ୟର ଆଲୁମିନିୟମ୍‌ ଆଲୟ ବାହାରକୁ ରପ୍ତାନି କରୁଛି। ଅନ୍ୟପକ୍ଷରେ, ଚାଇନା ବାର୍ଷିକ ପାଖାପାଖି 40 ଲକ୍ଷ ଡଲାର ମୂଲ୍ୟର ଆଲୁମିନିୟମ୍‌ ଆଲୟ ଅନ୍ୟ ରାଷ୍ଟ୍ରଗୁଡିକରୁ ଆମଦାନୀ କରିଥାଏ। ଏହି 40 ଲକ୍ଷ ଡଲାର ମଧ୍ୟରୁ ଭାରତରୁ ଏହା ମାତ୍ର 2 ଲକ୍ଷ ଡଲାର ମୂଲ୍ୟର ଆଲୁମିନିୟମ୍‌ ଆଲୟ ଆମଦାନୀ କରିଥାଏ।

ଚାଇନାର ଏହି ବୈମାତୃକ ମନୋଭାବ ଯୋଗୁ ଏହା ସହ ଭାରତର ବାଣିଜି୍ୟକ ପ୍ରଭେଦ କ୍ରମାଗତ ଭାବେ ବଢ଼ି ବଢ଼ି ଚାଲିଛି। 2016-17 ରେ ଏହା ବୃଦ୍ଧି ହୋଇ 71.45 ବିଲିୟନ ଡଲାରରେ ପହଞ୍ଚିଯାଇଛି। ଭାରତ ଚାଇନାରୁ ପ୍ରତିବର୍ଷ ପାଖାପାଖି 61.28 ବିଲିୟନ ଡଲାରର ସାମଗ୍ରୀ ଆଣୁଥିବାବେଳେ ଚାଇନା ବର୍ଷକୁ ମାତ୍ର 10.17 ବିଲିୟନ ଡଲାର ମୂଲ୍ୟର ଭାରତୀୟ ସାମଗ୍ରୀ ନେଉଛି। 

No comments