Support

Breaking News

ଆନ୍ଦୋଳନ କରିବେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ବ୍ଯାଙ୍କ କର୍ମଚାରୀ। ଆଜିଠୁ ଦେଶବ୍ୟାପୀ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ



ବିଭିନ୍ନ ସମସ୍ୟାକୁ ଭିତ୍ତିକରି ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍‌ସ(UFBU) ପକ୍ଷରୁ ବୁଧବାରଠାରୁ ଦୁଇଦିନିଆ (ମେ ୩୦,୩୧)ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ଡାକରା ଦିଆଯାଇଛି। ଏଥିରେ ପ୍ରାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ସାମିଲ ହେବାକୁ ଥିବାବେଳେ କାରବାର ମାତ୍ରାଧିକ ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଛି। ବିଶେଷ କରି କର୍ମଚାରୀଙ୍କ ବେତନରେ ସଂଶୋଧନ ଦାବି ଏହି ଧର୍ମଘଟର ମୂଳ କାରଣ ବୋଲି ସଂଘ ପ୍ରକାଶ କରିଛି। ଏହି ଧର୍ମଘଟରେ ଅଟୋମେଟିକ୍‌ ଟ୍ରେଲର ମେଶିନ(ଏଟିଏମ୍‌)ରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀମାନେ ମଧ୍ୟ ସାମିଲ ହେଉଛନ୍ତି ବୋଲି ଅଲ୍‌ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇଜ୍‌ ଆସୋସିଏଶନ(AIBEA)ର ସଭାପତି ରାଜେନ୍‌ ନାଗର ପ୍ରକାଶ କରିଛନ୍ତି। ଗୁରୁବାର (ମେ ୩୧) ମାସର ଶେଷ ଦିବସ ହେଉଥିବାରୁ ବିଭିନ୍ନ କ୍ଷେତ୍ରର କର୍ମଚାରୀ ଦରମାକୁ ଅପେକ୍ଷା କରିଛନ୍ତି।

ଯଦି ଏହି ସମୟରେ ଏଟିଏମ୍‌ ବନ୍ଦ ରହେ ତେବେ ନିତ୍ୟ ବ୍ୟବହାର୍ଯ୍ୟ ଖର୍ଚ୍ଚ ପାଇଁ ସମସ୍ୟା ଦେଖାଦେବାର ଆଶଙ୍କା କରାଯାଉଛି। ଭାରତୀୟ ବ୍ୟାଙ୍କ ସଂଘ(ଆଇବିଏ) କର୍ମଚାରୀଙ୍କ ବେତନ ୨% ବୃଦ୍ଧି ପାଇଁ ପ୍ରସ୍ତାବ ଦେଇଥିବାରୁ ଏହାକୁ କର୍ମଚାରୀ ସଂଘ ବିରୋଧ କରୁଛି। ବେତନ ସଂଶୋଧନ ପ୍ରକ୍ରିୟାକୁ ତ୍ୱରିତ କରିବା ସହିତ ଏଥିରେ ଉଚିତ ମାତ୍ରା ବୃଦ୍ଧି କରିବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) କହିଛି ଯେ, ମେ ୩୦ ଓ ୩୧ରେ ଯଦି କର୍ମଚାରୀ ଓ ଅଧିକାରୀ ସଂଘଗୁଡିକ ପକ୍ଷରୁ ଧର୍ମଘଟ ହୁଏ ତେବେ କାରବାର ମାତ୍ରାଧିକ ବାଧାପ୍ରାପ୍ତ ହେବ, ଜନସାଧାରଣ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବେ।

ସୂଚନାଯୋଗ୍ୟ, ୯ଟି ବ୍ୟାଙ୍କ ସଂଘକୁ ନେଇ ୟୁନାଇଟେଡ୍‌ ଫୋରମ ଅଫ୍‌ ବ୍ୟାଙ୍କ ୟୁନିୟନ୍ସ(ୟୁଏଫ୍‌ବିୟୁ) ଗଠିତ। ୟୁଏଫ୍‌ବିୟୁରେ ଏସ୍‌ବିଆଇ କର୍ମଚାରୀ ଓ ଅଧିକାରୀ ସଂଘ ସଦସ୍ୟ ଥିବାରୁ ଏସ୍‌ବିଆଇ ମଧ୍ୟ ପ୍ରଭାବିତ ହେବ ବୋଲି ଏହା ପ୍ରକାଶ କରିଛି। ସେହିପରି ବ୍ୟାଙ୍କ ଅଫ୍‌ ବରୋଦା, କାନାରା ବ୍ୟାଙ୍କ, ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ(PNB) ମଧ୍ୟ ସମାନ ପ୍ରତିକ୍ରିୟା ରଖିଛନ୍ତି।

No comments