Support

Breaking News

ମାଟ୍ରିକ ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ

ଆସନ୍ତା ଫେବୃଆରୀ ମାସ ୨୩ ତାରିଖରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ଅନ୍‌ଲାଇନ୍‌ରେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଗୁରୁବାରଠାରୁ ଉପଲବ୍ଧ ହୋଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ୱେବସାଇଟ୍‌ ରେ ( www.bseodisha.ac.in) ହାଇସ୍କୁଲର  ମୁଖ୍ୟମାନେ ସେମାନଙ୍କ ଆଇଡି ଓ ପାସ୍‌ୱାର୍ଡ ବ୍ୟବହାର କରି ପରୀକ୍ଷାର୍ଥୀମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନଲୋଡ୍‌ କରିପାରିବେ। ଏଥିସହ ଆସନ୍ତା ୧୭ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀଙ୍କ ମୁଦ୍ରିତ ଆଡ୍‌ମିଟ୍‌ କାର୍ଡ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯିବ।

ଚଳିତ ବର୍ଷ ୫, ୯୦, ୩୬୦ ଜଣ ଛାତ୍ରୀଛାତ୍ର ମାଟ୍ରିକ ପରୀକ୍ଷା ନିମନ୍ତେ ନାମ ପଞ୍ଜୀକରଣ କରିଛନ୍ତି। ଏଥର ରାଜ୍ୟରେ ୨୮୧୮ ପରୀକ୍ଷା କେନ୍ଦ୍ର ଓ ପ୍ରଶ୍ନପତ୍ର ରଖିବାକୁ ୩୦୨ଟି ନୋଡାଲ କେନ୍ଦ୍ର କରାଯାଇଛି। ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପ୍ରଶ୍ନପତ୍ରର ସୁରକ୍ଷା ଦୃଷ୍ଟିରୁ ୨୩ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଛି। ତନ୍ମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୩ଟି, ମାଲକାନଗିରିରେ ୧୦ଟି, ରାୟଗଡ଼ାରେ ୩ଟି ଥାନାରେ ନୋଡାଲ କେନ୍ଦ୍ର ହୋଇଛି। ପରୀକ୍ଷାଖାତା ମୂଲ୍ୟାୟନ ପାଇଁ ରାଜ୍ୟରେ ୫୭ଟି ଖାତାଦେଖା କେନ୍ଦ୍ର କରାଯାଇଛି।  ସେହିପରି ଫେବୃୟାରୀ ୨୩ରୁ ଏକ ସଙ୍ଗେ ଆରମ୍ଭ ହେଉଥିବା ଅନ୍ୟ ଦୁଇଟି ପରୀକ୍ଷା ମଧ୍ୟମା ଓ ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ମଧ୍ୟମା ପରୀକ୍ଷା ପାଇଁ ୩,୭୧୫ ଜଣ ଓ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ୧୩,୯୭୮ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଛନ୍ତି। ମାଟ୍ରିକ ପରୀକ୍ଷା କେନ୍ଦ୍ର ମଧ୍ୟରୁ ୪୭ଟି କେନ୍ଦ୍ରରେ ମଧ୍ୟମା ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ମାତ୍ର ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ସ୍ବତନ୍ତ୍ର ୧୦୧ କେନ୍ଦ୍ରରେ ଅନୁଷ୍ଠିତ ହେବ। ମଧ୍ୟମା ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡ ଅନ୍‌ଲାଇନ୍‌ରେ ମିଳିବ ନାହିଁ। ସେଗୁଡ଼ିକ ବୋର୍ଡ ପକ୍ଷରୁ ମୁଦ୍ରିତ କରି ଯୋଗାଇ ଦିଆଯିବ। ମାତ୍ର ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାର୍ଥୀ କେବଳ ଅନ୍‌ଲାଇନ୍‌ରେ ଆଡ୍‌ମିଟ୍‌ କାର୍ଡ ପାଇବେ, ସେମାନଙ୍କୁ ବୋର୍ଡ ପକ୍ଷରୁ କୌଣସି ମୁଦ୍ରଣ ଆଡ୍‌ମିଟ୍‌ କାର୍ଡ ପ୍ରଦାନ କରାଯିବ ନାହିଁ।

ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଛାତ୍ରୀଛାତ୍ରଙ୍କ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରାକ୍ଟିକାଲ ପରୀକ୍ଷା ଫେବୃୟାରୀ ୧୨ରୁ ୧୭ ତାରିଖ ମଧ୍ୟରେ କରାଯିବ। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯେକୌଣସି ଦିନ ଉକ୍ତ ପରୀକ୍ଷା ପ୍ରତି ହାଇସ୍କୁଲରେ ଅନୁଷ୍ଠିତ ହେବ। ବୋର୍ଡ ପକ୍ଷରୁ ନିଯୁକ୍ତ ଏକ୍ସଟରନାଲ ପରୀକ୍ଷକ ହାଇସ୍କୁଲରେ ଉପସ୍ଥିତ ରହି ଉକ୍ତ ପରୀକ୍ଷା କରାଇବେ। ପ୍ରାକ୍ଟିକାଲ ପରୀକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ, ମାର୍କ ଫଏଲ୍‌, ଆଟେଣ୍ଡାନ୍ସ୍‌ ଶିଟ୍‌ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷାର ନମ୍ବରଗୁଡ଼ିକ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ଡାଟା ପ୍ରସେସିଂ କେନ୍ଦ୍ରକୁ ପ୍ରେରଣ କରାଯିବ। ଅନ୍‌ଲାଇନ୍‌ରେ ମାର୍କ ପୋଷ୍ଟିଂ ପାଇଁ ଆବଶ୍ୟକ ଲିଙ୍କ୍‌ ଫେବୃୟାରୀ ୧୨ ରୁ ୧୭ ତାରିଖ ମଧ୍ୟ ରାତ୍ରି ଯାଏ ବୋର୍ଡ ୱେବସାଇଟ୍‌ରେ ଉପଲବ୍ଧ ହେବ। ବନ୍ଦୀଙ୍କ ପାଇଁ ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର ଚଳିତ ଥର ଚୌଦ୍ୱାର ଜେଲ୍‌ରେ ଥିବା ୫ ଜଣ ବନ୍ଦୀ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦେବେ। ସେମାନଙ୍କ ପରୀକ୍ଷା ଦେବା ପାଇଁ ଚୌଦ୍ୱାର ଜେଲ ପରିସରରେ ଏକ ଉପକେନ୍ଦ୍ର କରାଯାଇଛି। ସେହିପରି ଅନୁଗୋଳ ସ୍ପେଶାଲ ହୋମ୍‌ରେ ଥିବା ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସେଠାରେ ମଧ୍ୟ ଏକ ଉପକେନ୍ଦ୍ର କରାଯାଇଛି

No comments